ପରଜଙ୍ଗ ଜୋନ -3 ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଧାୟକ ନୃସିଂହ ସାହୁଙ୍କ ରାଜନୈତିକ ଭବିଷ୍ୟତ ବାଜି ଲାଗିଛି, ଶାସକ ଦଳର ରାଜନୈତିକ ଔଦ୍ଧତ୍ୟ ଓ ସ୍ୱେଚ୍ଛାଚାରିତା କୁ ଭୋଟର 11 ତାରିଖ ଦିନ ତଉଲିବେ |

ଢେଙ୍କାନାଳ ପରଜଙ୍ଗ ଜୋନ-3 ରେ ଜ଼ିଲ୍ଲା ପରିଷଦ ପାଇଁ ନିର୍ବାଚନ ହେଉଛି | ଆଜି, ଅର୍ଥାତ ଫେବୃଆରୀ 9 ତାରିଖ, ହେଉଛି ପ୍ରଚାରର ଶେଷ ଦିନ, 11 ତାରିଖରେ ଭୋଟିଂ ହେବ | ତେବେ ସାଧାରଣ ପଂଚାୟତ ନିର୍ବାଚନକୁ ଆଉ ବର୍ଷକରୁ ବି କମ ସମୟ ଥିବା ବେଳେ ଏ ଉପନିର୍ବାଚନର ବ୍ୟବହାରିକ ଆବଶ୍ୟକତା ନେଇ ଅଲଗା ଅଲଗା ମତ ଅବଶ୍ୟ ରହିଛି, ଯଦିଓ ଏହାର ସମ୍ବିଧାନିକତା ପ୍ରଶ୍ନମୁକ୍ତ ଅଟେ | କିନ୍ତୁ, ଏ ନିର୍ବାଚନର ରାଜନୈତିକ ନିହିତାର୍ଥ ପରଜଙ୍ଗରେ ସବୁଠାରେ ବଡ ଆଲୋଚନାର ବିଷୟ, ଅନେକ ଉପନିର୍ବାଚନଠାରୁ ଯଥେଷ୍ଟ ଅଧିକ | ଏଗାର ତାରିଖ ଭୋଟିଂର  ଫଳାଫଳ  ପରଜଙ୍ଗରେ ବିଜେଡି ଆଉ ଏହାର  ବିଧାୟକ ନୃସିଂହ ଚରଣ ସାହୁଙ୍କ ରାଜନୈତିକ  ସ୍ଥିତିକୁ  ପ୍ରଭାବିତ କରିବ |

ନୃସିଂହ ସାହୁ ପରଜଙ୍ଗରେ ଆଜି ନିର୍ବାଚନୀ ଅଜେୟ ନେତା | 2009ରୁ ସେ ପରଜଙ୍ଗକୁ ଦଖଲରେ ରଖିଛନ୍ତି, ତା ପୂର୍ବରୁ 2004 ରେ ସେ ପଲଲଲହଡାରୁ ଜିତିଥିଲେ ସେତେବେଳେ ବର୍ତମାନର ପରଜଙ୍ଗ ବିଧାନ ସଭା କ୍ଷେତ୍ରର ପାଖାପାଖି ପୁରା ଅଂଶ ପାଳଲହଡାରେ ଥିଲା | ଏମିତି ବର୍ଣନା ସତ୍ୱେ ପରଜଙ୍ଗରେ ବିଜେଡିର  ଯେ ଏକଚାଟିଆ ଆଧିପତ୍ୟ ଅଛି କହିବା ଆଦୌ ଠିକ ହେବନାହିଁ | ବିଜେପି ସେଠି ଏକ ବଡ ରାଜନୈତିକ ଶକ୍ତି |ରାଜ୍ୟରେ ଯେଉଁ ସବୁ ବିଧାନ ସଭା କ୍ଷେତ୍ରରେ ବିଜେପି ନିଜର ସମ୍ଭାବନାକୁ ନେଇ ଆଶାବାଦୀ ସେଥିରୁ ପରଜଙ୍ଗ ଗୋଟିଏ | ଧର୍ମେନ୍ଦ୍ର ପ୍ରଧାନ ଏଠୁ 2000ରେ ବିଜେପିକୁ ଜିତେଇଥଲେ |ଅତଏବ ସେଠି ବିଜେଡି ଆଉ ବିଜପିର ମୁକାବିଲା ସଦାବେଳେ କଡା ହୋଇଥାଏ, ଆଉ ପ୍ରତ୍ୟେକ ନିର୍ବାଚନ ଲଢେଇ ତା ପୂର୍ବ ନିର୍ବାଚନଠୁ ଆହୁରି କଡା ହେଉଥିବା ଦେଖାଯାଇଛି | ଗତ ବିଧାନ ସଭା ନିର୍ବାଚନରେ ବିଜେଡି ଆଉ ବିଜପିର ଭୋଟ ବ୍ୟବଧାନ ମାତ୍ର 740 ଥିଲା | ସମ୍ପୂର୍ଣ ରୂପେ ଏକ ଦୁଇପଖିଆ ଲଢେଇରେ ଉଭୟ ଦଳକୁ 78000 ରୁ ଆଧିକ ଭୋଟ ମିଳିଥିଲା | ବିଜେଡି ର ନୃସିଂହ ସାହୁ 78747 ପାଇଥିବା ବେଳେ ବିଜେପି ର ବିଭୁତି ପ୍ରଧାନ 78007 ଭୋଟ ଜିତିଥିଲେ |

ପ୍ରଚାରରେ ବିଜେପି

ଏମିତି ପୃଷ୍ଠଭୁମିରେ ହେଉଥିବା ଏ ଜିଲ୍ଲା ପରିଷଦ ନିର୍ବାଚନ ରାଜନୈତିକ ତର୍ଜମା ପାଇଁ ଏକ ଆଗ୍ରହୀ ଘଟଣା ହେବାକୁ ଯାଉଛି | ତା ଛଡା ବର୍ଷକ ପରେ ପଂଚାୟତ ନିର୍ବାଚନ ହେବ ଯାହାକି  2024ରେ ହେବାକୁ ଥିବା ବିଧାନ ସଭା ନିର୍ବାଚନର ପୂର୍ବାଭାସ ବୋଲି ଧରାଯିବ | ସେ ଦୃଷ୍ଟିରୁ ଏହା ଏକ ଜ଼ିଲ୍ଲା ପରିଷଦ ନିର୍ବାଚନ ହେଲେ ମଧ୍ୟ ଏହାର ଏକ ବିସ୍ତାରିତ ରାଜନୈତିକ ସମ୍ବାଦ ଦେବାକୁ ଯାଉଛି |

2017 ପଂଚାୟତ ନିର୍ବାଚନରେ ପରଜଙ୍ଗ ର ଏହି  3 ନମ୍ବର ଜୋନକୁ  ବିଜେପି ଜିତିଥିଲା | ଅବଶ୍ୟ ଓଡ଼ିଶାରେ ବିଜେପି ସେ ପଂଚାୟତ  ନିର୍ବାଚନରେ ବିଜେଡିର ଅଧିପତ୍ୟୟ କୁ ଆହ୍ୱାନ କରି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା |ତେବେ ପରଜଙ୍ଗ ଜୋନ-3 ରେ ଭୋଟର ବିଧାୟକଙ୍କ ପ୍ରତି ନିଜର ରୋଷ ପ୍ରକଟ କରିଥିଲେ; ଏବଂ ଏ ଜୋନ ବିଜେପି ଜିତିନେଲା | କିନ୍ତୁ,2019 ବିଧାନସଭା ନିର୍ବାଚନରେ ବିଜେଡି ତଥା ବିଧାୟକ ନୃସିଂହ ସାହୁ ହାତରୁ ଖସି ଯାଇଥିବା ଏ ଅଂଚଳକୁ ସମ୍ଭାଳି ନେଇଥିଲେ | ଏ ସଫଳତା ପଛରେ ନବୀନ ପଟ୍ଟନାୟକଙ୍କ ଛବି, କାଳିଆ ପରି ଲୋକଲୋଭଣୀଆ ଯୋଜନା ଆଦିର ଯଥେଷ୍ଟ ଅବଦାନ ଥିଲା | ତା ଛଡା, ଶ୍ରୀ ସାହୁ ନିର୍ବାଚନ ରଣନୀତିରେ ଜଣେ ଧୂରିଣ ଖେଳାଳି |ଏ ସବୁ ସତ୍ୱେ,ମାତ୍ର 740 ଭୋଟରେ ଜିତିଥିବା ବିଧାୟକ, ତା ପୁଣି ନବୀନ ସରକାରରେ ମନ୍ତ୍ରୀ ପଦରେ ଥାଇ ଶ୍ରୀ ସାହୁ  ନିଜ ଭବିଷ୍ୟତ କୁ ନେଇ ସୁନିଶ୍ଚିତ ହେବ ସ୍ୱାଭାବିକ ନୁହେଁ | ବୋଧହୁଏ ଏମିତି ପ୍ରଦର୍ଶନ  ଯୋଗୁଁ ସେ ଆଉ ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଫେରିପାରିଲେନି | ତେଣୁ 11 ତାରିଖରେ ହେବାକୁ ଥିବା ନିର୍ବାଚନରେ ନୃସିଂହ ସାହୁଙ୍କ ରାଜନୈତିକ ଭବିଷ୍ୟତ ବାଜିରେ ଲାଗିଛି ବୋଲି କୁହାଯାଇପାରିବ |

ତେବେ ପରଜଙ୍ଗରେ ବିଜେଡି କର୍ମୀଙ୍କ ରାଜନୈତିକ ଔଦ୍ଧତ୍ୟ, ନେତାଙ୍କ ସ୍ୱଚ୍ଛାଚାରିତା, ତଥା ବ୍ଲକ ରେ ଦୁର୍ନୀତି ଆଜି ସେମିତି ଅଛି, ବରଂ ବଢିଯାଇଛି ଯାହା 2017 ବେଳକୁ ଥିଲା | ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଁ ସାହାଯ୍ୟ ବଣ୍ଟନ ହେଉ କିମ୍ବା ବାର୍ଦ୍ଧକ୍ୟ କି ବିଧବା ଭତ୍ତା ସବୁଥିରେ ସାଧାରଣରେ ଅସନ୍ତୋଷ ରହିଛି | ରାଜନୈତିକ ସମର୍ଥନ ଆଉ ଲାଞ୍ଚ ଆଧାରରେ ଲୋକଙ୍କୁ ଏ ସାହାଯ୍ୟ ଦିଅ ଯାଉଛି ବୋଲି ଅଭିଯୋଗ ହେଉଛି |

Leave a Reply

Your email address will not be published. Required fields are marked *