ଓଡ଼ିଶାରେ ଦ୍ଵିତୀୟ କରୋନା ମୃତ୍ୟୁ,ଗଞ୍ଜାମରେ ଆଉ ଜଣେ ସୁରଟ ଫେରନ୍ତା ଆକ୍ରାନ୍ତ

ମୃତକଙ୍କ ପରିବାରର ଜଣେ ସଦସ୍ୟ ପୂର୍ବରୁ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଆଜି ଜଣେ 77 ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି |ଗତ ମାସ 7 ତାରିଖରେ ରାଜ୍ୟର ଏହିଭଳି ପ୍ରଥମ ମୃତ୍ୟ ରିପୋର୍ଟ ହେବାର 28 ଦିନ ପରେ କରୋନା ମହାମାରୀ ଓଡ଼ିଶାରେ ଦ୍ଵିତୀୟ ଜୀବନ ନେଇଛି |ମୃତ ବ୍ୟକ୍ତି ଭୁବନେଶ୍ୱର, ମଧୁସୂଦନ ନଗରରେ ରହୁଥିଲେ | ଏ ବିଷୟରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଟ୍ୱଇଟ କରି ଜଣାଇଛି |

ଏପ୍ରିଲ 28 ତାରିଖ ରେ ରୋଗ ଚିହ୍ନଟ ହେବା ପରଠୁ ତାଙ୍କର କିମସ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା|ସେ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ ରୋଗରେ ପୀଡିତ ଥିଲେ ବୋଲି ଟ୍ୱଇଟରେ କୁହାଯାଇଛି |ତାଙ୍କ ପରିବାରର ଜଣେ ବ୍ୟକ୍ତି ଏପ୍ରିଲ 7 ତାରିଖରେ ଆକ୍ରାନ୍ତ ଭାବରେ ଚିହ୍ନଟ ହୋଇଥିଲେ |ତେଣୁ, ପ୍ରୋଟୋକଲ ଅନୁସାରେ ତାଙ୍କର 9 ତାରିଖରେ କୋଭିଡ ପରୀକ୍ଷା ହୋଇଥିଲା, ଏବଂ ଫଳ ନେଗେଟିଭ ବାହାରିଥିଲା, କିନ୍ତୁ 28 ତାରିଖରେ ତାଙ୍କଠାରେ କୋଭିଡର ଲକ୍ଷଣ ଦେଖାଦେଲା ଏବଂ ପରୀକ୍ଷା ପରେ ଭୁତାଣୁ ଧାରା ପଡିଥିଲା | ତେବେ, ୟା ଭିତରେ ସେ 11 ରୁ 20 ପର୍ଯ୍ୟନ୍ତ ସରକାରୀ କୱାରେଣ୍ଟିନ ଏବଂ ତା ପରଠୁ ଗୃହ କୱାରେଣ୍ଟିନରେ ରହୁଥିଲେ |

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରେ ଆଉ ଜଣଙ୍କ ଭିତରେ ଥିବା କରୋନା ଧାରା ପଡିଛି | ଅଠର ବର୍ଷୀୟ ଏହି ଯୁବକ ସୁରାଟରୁ ଫେରିଥିବା କଥା ଜଣ ପଡିଛି | ଏହି ନୂଆ ରୋଗୀଙ୍କୁ ମିଶାଇ ବର୍ତମାନ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲାରେ 4 କରୋନା ଚିହ୍ନଟ ହୋଇସାରିଛନ୍ତି, ଏବଂ ସମସ୍ତେ ସୁରଟ ଫେରନ୍ତା |

ଗୁଜୁରାଟର ସୁରଟ ବର୍ତ୍ତମାନ ବିପଦଜନକ ଭାବରେ କୋଭିଡ ସଂକ୍ରମଣରେ ରହିଛି, ଏବଂ ସେଠି ଲକ୍ଷ ଲକ୍ଷ ଓଡ଼ିଆ ଏହି ମହାମାରୀ ଆଗରେ ଉନ୍ମୁକ୍ତ ହୋଇ ପଡିଛନ୍ତି | ଏପରି ଅବସ୍ଥାରେ ସେମାନନେ ଏବେ ଓଡିଶା ଫେରୁଛନ୍ତି |କିଛି ସରକାରଙ୍କ ବ୍ୟବସ୍ଥା ଭିତରେ ଫେରୁ ଛନ୍ତି, ସେମାନଙ୍କ ରେକର୍ଡ ସରକାରଙ୍କ ପାଖରେ ରହିଛି| ଆଉ କିଛି ସେମିତି ପଳେଇ ଆସିଛନ୍ତି |

ଏମିତିରେ, ସୁରଟ ଫେରନ୍ତାଙ୍କ ଯୋଗୁଁ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ଉଛୁଳି ପରେ ବୋଲି ଏକ ସ୍ୱାଭାବିକ ଆଶଙ୍କା ସୃଷ୍ଟି ହୋଇଛି | ଛ ତାରିଖର ପ୍ରଥମ କୋଭିଡ ରିପୋର୍ଟ ଅନୁଶାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା 177ରେ ପହଂଚିଛି |

Leave a Reply

Your email address will not be published. Required fields are marked *