ଲକଡାଉନ 3.0: ଓଡିଶା ପାଇଁ ସୁଯୋଗ କେତେ ଆହ୍ୱାନ କେତେ

ଆଜିଠୁ, ଅର୍ଥାତ ମେ 4ରୁ ପୁରା ଭାରତ ଲକଡାଉନ ର ତୃତୀୟ ପାଳିରେ ପ୍ରବେଶ କରୁଛି , ଅତଏବ ଓଡିଶା ବି ଲକଡାଉନ ରେ ରହିବ- ଏଇ ମାସ 17 ତାରିଖ ପର୍ଯ୍ୟନ୍ତ |ହେଲେ , ତୃତୀୟ ପାଳି ଲକଡାଉନର ଏଇ 14 ଦିନରେ ପ୍ରତିବନ୍ଧ ଅନେକ କ୍ଷେତ୍ରରେ ଆଉ ଅନେକ ମାତ୍ରାରେ କୋହଳ କରାଯାଇଛି |ବଜ଼ାର ଖୋଲିବ, ଅଫିସ ଖୋଲିବ, ରାସ୍ତାରେ ଲୋକେ ଯିବାଆସିବା କରିବେ, ଏପରିକି ଗାଡି ମୋଟର ବି ଚାଲିବ, ଯାହା ଗତ ଦୁଇ ପାଳିରେ ନିଷିଦ୍ଧ ଥିଲା | ଏସବୁଯେ ଅବାଧ ଭାବରେ ଚାଲିବ ତାହାନୁହେଁ, ସବୁ କାର୍ଯ୍ୟକଳାପର ସୀମା ଧାର୍ଯ୍ୟ କରାଯାଇଛି, ତଥାପି ଲୋକଙ୍କ ଗହଳି ଦେଖିବାକୁ ମିଳିବ; ଏହା ଅବଶମ୍ଭାବୀ | ଅତଏବ, ଏଇ ଅବସ୍ଥାରେ କରୋନା ଭୁତାଣୁ ପାଇଁ ମାତିବାର ସୁଯୋଗ ନିଶ୍ଚିତ ଭାବରେ ବଢିବ |

ଏମିତିରେ ଏ ମହାମାରୀକୁ ଛକିବା ପାଇଁ ସରକାରଙ୍କ ବ୍ୟବସ୍ଥା ପ୍ରସ୍ତୁତ ଅଛି ତ ? ଆଶା କରାଯାଇପାରେ ସରକାର ପ୍ରସ୍ତୁତ ଅଛନ୍ତି – ଉଭୟ ରାଜ୍ୟ ଆଉ କେନ୍ଦ୍ର ସରକାର | ଦୁଇ ପର୍ଯ୍ୟାୟରେ 40 ଦିନ ଲକଡାଉନର ସୁଫଳ ମିଳିଛି, ଏଥିରେ ସନ୍ଦେହ ନାହିଁ |ଏଇ 40 ଦିନର କସରତଦ୍ୱାରା ଜୀବନ ସହିତ ଜୀବିକା ପାଇଁ କିଛି ଜାଗା ତିଆରି କରା ଯାଇ ପାରିଛି; ଆର୍ଥିକ ଗତିବିଧି ଆରମ୍ଭ କରିବା ପାଇଁ ସରକାରଙ୍କୁ କିଛିଟା ସୁଯୋଗ ମିଳିପାରିଛି |ଏକଥା ମଧ୍ୟ ସତଯେ, ଆର୍ଥିକ ଗତିବିଧି ଧୀରେ ଧୀରେ ଆରମ୍ଭ ପଡିବ |ତେଣୁ, ଏଠି ଦେଖିବା କଥା ହେଉଛି, ଆଜି ତୃତୀୟ ଲକଡାଉନ ଆରମ୍ଭ ହେଲା ବେଳକୁ ଓଡିଶା ଏ କରୋନା ଯୁଦ୍ଧରେ କେତେ ବାଟରେ ଆସି ପହଂଚିଛି |

ଗତ କାଲି ସୁଦ୍ଧା ଓଡ଼ିଶାରେ 162 କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ସେଥୁରୁ 100 ଜଣ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି; 60 ଜଣ ଭଲ ହୋଇ ଘରକୁ ଫେରି ଗଲେଣି ଆଉ ଜଣଙ୍କର ମୃତ୍ୟୁ ହୋଇଛି |ଦେଶର ଅନ୍ୟ ରାଜ୍ୟର ଅବସ୍ଥାକୁ ଦେଖିଲେ ଓଡିଶା ଆଜି ଯଥେଷ୍ଟ ଭଲ ସ୍ଥିତିରେ ଅଛି ବୋଲି କୁହ ଯାଇପାରିବ | କିନ୍ତୁ, ଗତ ପନ୍ଦର ଦିନ ଭିତରେ କରୋନା ଯେମିତି ବଢିଛି ତାହା ଚିନ୍ତାଜନକ |ୟା ଭିତରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 100ରୁ ଅଧିକ ବଢିଯାଇଛି ଯେତେବେଳେକି ତା ପୂର୍ବ 30 ଦିନରେ ଏ ସଂଖ୍ୟା 60 ଥିଲା | ଏ ବୃଦ୍ଧି ସଂଖ୍ୟା ରେ ତ ବଢିଛି, ତା ଠାରୁ ବଡ କଥା ହେଲା ଏହା ନୂଆ ନୂଆ ଜିଲ୍ଲା କୁ ମାଡିଛି | ଅଠର ଏପ୍ରିଲ ରେ ବାଲେଶ୍ୱର ନୂଆ ଜିଲ୍ଲା ହିସାବରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ତାଲିକାରେ ଯୋଗଦେଲା |ତା ପରେ ସେଥିରେ କୋରାପୁଟ ନାଁ ଆସିଲା |ପଛକୁ ପଛ ଝାରସୁଗୁଡା, କେନ୍ଦୁଝର କରଣର ଶିକାର ହେଇଗଲେ |ସଦ୍ୟତମ ଜିଲା ହିଅସାବରେ ବଲାଙ୍ଗୀର ଏବଂ ଗଂଜାମ ଏଥିରେ ସାମିଲ ହେଇଛନ୍ତି |ଗତ ଦୁଇ ସପ୍ତାହରେ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ବିପଦଜନକ ଭାବରେ ରେଡ ଜୋନ ରେ ବଦଳି ଯାଇଛି | ଖୋର୍ଦ୍ଧାକୁ ପଛରେ ପକେଇ ବର୍ତମାନ ଯାଜପୁର ରାଜ୍ୟର ଏକ ନମ୍ବର କରୋନା ଜିଲ୍ଲା ହେଇଚି |

ଓଡ଼ିଶାର କରୋନା ସ୍ଥିତିର ଆଗକୁ ଆସୁଥିବା ଏ ନୂଆ ଚିତ୍ରରେ ବାହାର ରାଜ୍ୟର ବଡ ଅବଦାନ ରହିଛି |ବର୍ତ୍ତମାନ ପାଇଁ ପଶ୍ଚିମ ବଙ୍ଗ ସବୁଠୁ ଆଗରେ ଅଛି | ଅବଶ୍ୟ ବଲାଙ୍ଗୀର କୁ କରୋନା ତାମିଲନାଡୁ ରୁ ଆସିଛି ଏବଂ ଗଂଜାମକୁ ସୁରାଟରୁ ; କିନ୍ତୁ ଓଡ଼ିଶାରେ ବଢିଥିବା ଶେଷ 100 କରୋନା ମାମଲାରୁ ପାଖାପାଖି 80 ଟି ପଶ୍ଚିମ ବଙ୍ଗ ଚେନରୁ ଆସିଛି |ପଶ୍ଚିମ ବଙ୍ଗର ନିକଟତର ଜିଲ୍ଲା ହିସାବରେ ବାଲେଶ୍ୱର, ଭଦ୍ରକ ଆଉ ଯାଜପୁର ତ ପଡୋଶୀ ରାଜ୍ୟର କରୋନା ଦାଉ ସହୁଛନ୍ତି, କିନ୍ତୁ ସେଠୁ 700 କିମି ଦୂର କୋରାପୁଟରେ କରୋନା ପଶ୍ଚିମ ବଙ୍ଗରୁ ଯାଇ ପହଂଚିଛି |ଝାରସୁଗୁଡା ଆଉ କେନ୍ଦୁଝରରେ ବି କରୋନା ପଡୋଶୀ ପଶ୍ଚିମ ବଙ୍ଗ ର ଦେନ |ଯାଜପୁରର 48 କରୋନା ମାମଲାରୁ 46 ରେ ପଶ୍ଚିମ ବଙ୍ଗ ସମ୍ପୃକ୍ତ |

Leave a Reply

Your email address will not be published. Required fields are marked *